ଗଜପତି, ସେରଙ୍ଗ, ୧୫ ଜାନୁଆରୀ (୨୦୨୬): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଏବଂ 'ମହାପ୍ରୟାଣ' ଯୋଜନା ଉପାନ୍ତ ଅଞ୍ଚଳରେ କିଭଳି ବିଫଳ ହେଉଛି, ତାର ଏକ କରୁଣ ଚିତ୍ର ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଘରକୁ ନେବା ପାଇଁ ଶବବାହୀ ଗାଡ଼ି ନମିଳିବାରୁ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ବାଇକରେ ମୃତଦେହ ବୋହିଛନ୍ତି। ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାର ସଂକ୍ଷିପ୍ତ ବିବରଣୀ:
ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମର ଚନ୍ଦ୍ର ଧ୍ୱଜ ସିଂ (୬୩) ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଆଲୋକ କୁମାର ଘୋଷଣା କରିଥିଲେ।
ସହାୟତା ବଦଳରେ ସୁରକ୍ଷା କର୍ମୀଙ୍କ ଅମାନବୀୟ ପରାମର୍ଶ:
ମୃତ୍ୟୁ ପରେ ମୃତଦେହକୁ ଗାଁକୁ ନେବା ପାଇଁ ମେଡ଼ିକାଲରେ କୌଣସି 'ମହାପ୍ରୟାଣ' ଗାଡ଼ି ଉପଲବ୍ଧ ନଥିଲା। ପରିବାର ଲୋକେ ଅସହାୟ ହୋଇ ପଡ଼ିଥିବା ବେଳେ ସେଠାରେ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଏକ ଅଟୋ ରିକ୍ସା ଭଡ଼ା କରି ନେବାକୁ କହିଥିଲେ। ମାତ୍ର ଅଟୋ ଚାଳକ ୮ ରୁ ୯ ହଜାର ଟଙ୍କା ଦାବି କରିବାରୁ ଗରିବ ପରିବାର ପାଇଁ ଏହା ଅସମ୍ଭବ ହୋଇପଡ଼ିଥିଲା। ଆର୍ଥିକ ଅଭାବରୁ ଅନ୍ୟ କୌଣସି ବିକଳ୍ପ ନପାଇ ଶେଷରେ ସମ୍ପର୍କୀୟମାନେ ମୃତଦେହକୁ ଏକ ବାଇକ ମଝିରେ ବସାଇ ନିଜ ଗାଁକୁ ନେଇଥିଲେ।
ବାଟବଣା ହେଉଛି କି ମହାପ୍ରୟାଣ ଯୋଜନା?
୨୦୧୬ ମସିହାରେ କଳାହାଣ୍ଡିର ଦାନ ମାଝୀ ଶବ ବୋହିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହାପରେ ସରକାର ମୃତଦେହକୁ ସମ୍ମାନର ସହ ନେବା ପାଇଁ 'ମହାପ୍ରୟାଣ' ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଚିତ୍ର ପ୍ରମାଣ କରୁଛି ଯେ ଯୋଜନା ଏବେ ବି ଉପାନ୍ତ ଅଞ୍ଚଳର ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।
ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରଙ୍କ ମୃତ୍ୟୁ ଘୋଷଣା ପରେ ମୃତଦେହକୁ କିଭଳି ପଠାଯିବ, ସେ ନେଇ କର୍ତ୍ତୃପକ୍ଷ ଗମ୍ଭୀର ହେବା ଆବଶ୍ୟକ ଥିଲା ବୋଲି ମତ ପ୍ରକାଶ ପାଇଛି।
0 Comments