ବିଶିଷ୍ଟ ଶିକ୍ଷାବିତ,ଶିକ୍ଷକ ନେତା ଲୋକନାଥ ଦାସଙ୍କ ପରଲୋକ
ବରୀ : ବିଶିଷ୍ଟ ଶିକ୍ଷାବିତ ଲୋକନାଥ ଦାସ ଆଉ ନାହାନ୍ତି l ଆଜି ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି l ସେ ସିଦ୍ଧାଶ୍ରମ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଥିଲେ l ଜଣେ ଆଦର୍ଶ ଶିକ୍ଷକ ଭାବେ କେବଳ ଜିଲ୍ଲା ନୂହେଁ ରାଜ୍ୟରେ ସେ ଥିଲେ ପ୍ରତିଷ୍ଠିତ l ଶିକ୍ଷକ ସଂଗଠନ ଓଷ୍ଟାର ସେ ଥିଲେ ଯାଜପୁର ଜିଲ୍ଲାର ପ୍ରାକ୍ତନ ସଭାପତି l କେବଳ ଶିକ୍ଷାଦାନ କିମ୍ବା ଶିକ୍ଷିକ ସଂଗଠନ ସହ ଜଡିତ ଥିଲେ ସେ କଥା ନୁହେଁ l ସେ ସାମାଜିକ ସଂଗଠନ ଗୁଡିକର ବିଭିନ୍ନ ପଦ ପଦବୀରେ ରହିଥିଲେ l ବିଶେଷ କରି ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନର ସେ ଥିଲେ ସଭାପତି ତଥା ନିଖିଳ ଉତ୍କଳ ଗୋଲା ମହା ସଂଘର ସମ୍ପାଦକ ଭାବେ ତାଙ୍କର ବେଶ୍ ସୁଖ୍ୟାତି ରହିଛି l ତାଙ୍କ ଦ୍ଵାରା ଗୋଲା ଜାତି ଉପରେ ରଚିତ ପୁସ୍ତକ ଗୋଟିଏ ବିରାଟ ଜାତିର ଉତ୍ପତ୍ତି ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରେ l ସ୍ବର୍ଗତ ଦାସଙ୍କ ବିୟୋଗ ସମଗ୍ର ଅଞ୍ଚଳପାଇଁ ଅପୂରଣୀୟ କ୍ଷତି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ନିଜର ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି l ସ୍ବର୍ଗତ ଦାସଙ୍କ ବିୟୋଗ ଖବର ପ୍ରସାରିତ ହେବା ଖଣି ବହୁ ରାଜନେତା, ଶିକ୍ଷକ ଓ ଶିକ୍ଷକ ନେତା, ସ୍ବର୍ଗତ ଦାସ ଙ୍କୁ ଭଲ ପାଉଥିବା ବହୁ ବ୍ୟକ୍ତି ବିଶେଷ ତାଙ୍କ ବାସ ଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି l ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ତାଙ୍କ ଶୋକବର୍ତ୍ତlରେ ଗୋଟିଏ ଯୁଗର ଅବସାନ ହେଲା ବୋଲି କହିଛନ୍ତି l ସ୍ୱର୍ଗତ ଦାସଙ୍କ ବିୟୋଗରେ ସମଗ୍ର ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
0 Comments